HomeUncategorizedବନ୍ୟା ପାଣିରେ ଭାସି ଗଲା କାର , ଉଦ୍ଧାର ହେଲା ତାପସ ଓ ପ୍ରତାପଙ୍କ ମୃତଦେହ

ବନ୍ୟା ପାଣିରେ ଭାସି ଗଲା କାର , ଉଦ୍ଧାର ହେଲା ତାପସ ଓ ପ୍ରତାପଙ୍କ ମୃତଦେହ

ବନ୍ୟା ପାଣିରେ ଭାସି ଗଲା କାର , ଉଦ୍ଧାର ହେଲା ତାପସ ଓ ପ୍ରତାପଙ୍କ ମୃତଦେହ
ସମ୍ବଲପୁର,୨୧/୦୮– ସମ୍ବଲପୁର ଜ଼ିଲ୍ଲା ଜମନକିରା ବ୍ଲକ କେନାଢିପା ପଂଚାୟତ ଅନ୍ତର୍ଗତ ଫାଶୀମାଲ – ଲଇଡ଼ା ରାସ୍ତା କେନାଢିପା ନକ୍ଟିପାଲି ପାଖରେ ପ୍ରବାହିତ ବାରଟେଙ୍ଗରା ନଦୀର ଜଳ ସ୍ରୋତରେ ଶନିବାର ରାତ୍ର ୭ ଟା ୧୫ ମି ସମୟରେ ଏକ ଅଲ୍ଟୋ କାର୍ ଭାସିଯାଇଥିଲା I ଏହି ଘଟଣାରେ କାରରେ ଥିବା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ କୁମାର ନାୟକ (୫୨)ଏବଂ ସେହି ଗ୍ରାମର ତାଙ୍କ ଭଉଣୀ ଜ୍ୟୋଇଂ ପ୍ରତାପ ପଟେଲ (୫୩) ନିଖୋଜ ଥିଲେ I ରାତିରେ କାର ଭାସିଯିବା ସୂଚନା ପାଇ ଜମନକିରା ଅଗ୍ନିଶମ ବାହିନୀ ଓ କୁଚିଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ତେବେ ଆଜି ଭୋରରୁ ପୋଲ ଠାରୁ ପ୍ରାୟ ୧ ଶହ ମିଟର ଦୂରରେ କାର ସହ ଦୁଇ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି I ମୃତକ ତାପସ ଏବଂ ପ୍ରତାପ ଦୁଇ ଜଣଙ୍କ ଶବ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା ନିଆଯାଇଛି I
ପ୍ରତାପ ପଟେଲଙ୍କ ଏକମାତ୍ର ଝିଅ ତମନ୍ନା ମୁମ୍ବାଇରେ ରହୁଥିବାବେଳେ, ତାପସଙ୍କ ଭାଇ ତପନ ଦିଲ୍ଲୀରେ ରହୁଛନ୍ତି I ଖବର ପାଇ ଦିଲ୍ଲୀରେ ଥିବା ପ୍ରତାପଙ୍କ ମଝିଆ ଭାଇ ସନ୍ତାପଙ୍କ ସହିତ ତମନ୍ନା ଏବଂ ତପନ ଦିଲ୍ଲୀରୁ ଉଡ଼ାଜାହାଜ ଯୋଗେ ଭାୟା ଝାରସୁଗୁଡା ଆସି ନିଜ ଗାଁ ଗୁଣ୍ଡୁରୁଚୁଆଁ ଯିବେ I ଏହା ପରେ ଗ୍ରାମ୍ୟ ଶ୍ୱଶାନରେ ଉଭୟଙ୍କ ପାର୍ଥିବ ଶରୀର ଅପରାହ୍ନରେ ଶେଷକୃତ୍ୟ ସମ୍ପର୍ଣ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି I ତେବେ ତାପସ ଓ ପ୍ରତାପଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I ଅଞ୍ଚଳର ଜଣାଶୁଣା ଶିକ୍ଷକ ସ୍ୱର୍ଗତ ବିରଞ୍ଚି ନାରାୟଣ ନାୟକଙ୍କ ବଡ଼ ପୁଅ ତାପସ ନାୟକ ଦୀର୍ଘ ବର୍ଷ ଧରି ରାଜଧାନୀ ଦିଲ୍ଲୀର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ I ଜୁହାର ପରିବାର ଦିଲ୍ଲୀର ପ୍ରତିଷ୍ଠାତା ସଦସ୍ୟ ଭାବରେ ପ୍ରତ୍ୟେକ ବର୍ଷ ପ୍ରବାସୀ ଓଡ଼ିଆ ମାନଙ୍କୁ ଏକତ୍ରିତ କରି ନୁଆଁଖାଇ ପର୍ବ ପାଳନ କରିବା, ରକ୍ତଦାନ ଶିବିର, ବୃକ୍ଷ ରୋପଣ, କୋଭିଡ ସମୟରେ ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟ କରୁଥିଲେ I ବାପା ବିରଞ୍ଚିଙ୍କ ଦେହାନ୍ତ ପରେ ଗତ ୪ ବର୍ଷ ହେବ ନିଜ ଗାଁକୁ ଆସି ଅଞ୍ଚଳରେ ବିଭିନ୍ନ ସମାଜସେବା କାର୍ଯ୍ୟ ଜାରୀ ରଖିଥିଲେ I ଆଜୀବନ ଅବିବାହିତ ଥିବା ତାପସ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସହିତ ଜଡିତ ରହି ଗାଁ ଏକ ଗୋଶାଳା ନିର୍ମାଣ ପୂର୍ବକ ଗୋ ସେବା କରୁଥିଲେ I ଅଞ୍ଚଳରେ ବୃକ୍ଷ ରୋପଣ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରୁଥିଲେ I ବିକଳ୍ପ କୃଷିକୁ ଗୁରୁତ୍ୱ ଦେବା ସହିତ ଅଭିନଵ ଚାଷ କାର୍ଯ୍ୟ କରୁଥିଲେ I ଅନ୍ୟ ପକ୍ଷରେ ଦୀର୍ଘ ବର୍ଷ ହେବ ପ୍ରତାପ ରାଜଧାନୀ ଦିଲ୍ଲୀ ପରେ ସିଙ୍ଗାପୁରରେ ରହି ଏକ ଘରୋଇ ସଂସ୍ଥାରେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ I ବୃଦ୍ଧ ମା ବାପାଙ୍କ ସେବା କରିବା ପାଇଁ ସେ ମଧ୍ୟ ଗତ ଏକ ମାସ ହେବ ଗାଁ କୁ ଆସିଥିଲେ I ତେବେ ଉଭୟ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଫେରୁଥିବା ବେଳେ ନଦୀ ର ପ୍ରଖର ସ୍ରୋତରେ ଭାସି ଯାଇ ଜୀବନ ହାରିଗଲେ I
ତାପସ ଏବଂ ପ୍ରତାପ ଙ୍କ ପରଲୋକ ରେ ଜୁହାର ପରିବାର ଦିଲ୍ଲୀ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି I ଅନୁଷ୍ଠାନର ସଭାପତି ବାସୁଦେବ ତ୍ରିପାଠୀ, ବିଜୟା ନନ୍ଦ ନାୟକ, ଅନୁପମ ମିଶ୍ର, ଡ଼ଃ ତାପସ ଷଡ଼ଙ୍ଗୀ, ବିଜୟ ତ୍ରିପାଠୀ, ପିନାକୀ ରଥ, ଓମ ପ୍ରକାଶ ରାଉତ, ମହେଶ ଠାକୁର, ସୁନୀଲ ପଟେଲ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି I ରାଜଧାନୀ ଦିଲ୍ଲୀ ଠାରେ ଆଜି ଜୁହାର ପରିବାର ପକ୍ଷରୁ ଅପରାହ୍ନ ୪ ଟା ୩୦ ମି. ସମୟରେ ଏକ ଶୋକସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି Iସଦଗତି କାମନା କରିଛନ୍ତି I ରାଜଧାନୀ ଦିଲ୍ଲୀ ଠାରେ ଆଜି ଜୁହାର ପରିବାର ପକ୍ଷରୁ ଅପରାହ୍ନ ୪ ଟା ୩୦ ମି. ସମୟରେ ଏକ ଶୋକସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine