ଅନୈତିକ ଲିଙ୍ଗ ନିରୂପଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ – ଜିଲ୍ଲାପାଳ
- ସୂଚନାଦାତା ହେବେ ପୁରସ୍କୃତ
ପିସି ଏବଂ ପିଏନଡିଟି ଜିଲ୍ଲା ପରାମର୍ଶଦାତା କମିଟିର ସ୍ଵତନ୍ତ୍ର ବୈଠକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଥିବା କନ୍ୟା ସନ୍ତାନ ସଂଖ୍ୟକୁ ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହ ଏଥି ନିମନ୍ତେ ସମସ୍ତେ ସଜାଗ ରହିବାକୁ ସୂଚାଇଥିଲେ। ଯଦି ଜିଲ୍ଲାର କୌଣସି ଅଲଟ୍ରାସାଉଣ୍ଡ କ୍ଲିନିକରେ ଲିଙ୍ଗ ନିରୂପଣ ହେବାର ପ୍ରମାଣିତ ହୁଏ ତେବେ ଆଇନତଃ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯିବ ବୋଲି ଜିଲ୍ଲାପାଳ ଏହି ଅବସରରେ ଉଲ୍ଲେଖ କରିଥିଲେ। ଏଥି ନିମନ୍ତେ ଦୋଷୀଙ୍କୁ ତିନି ବର୍ଷ ଯାଏଁ ଜେଲ ଦଣ୍ଡ ଏବଂ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜରିବାନାରେ ଦଣ୍ଡିତ କରାଯାଇପାରେ। ଜିଲ୍ଲାର ଯେ କୌଣସି ପିସି ଏଣ୍ଡ ପି ଏନ ଡି ଟି ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ଜନସାଧାରଣ ଚାଇଲ୍ଡ ଲାଇନ୍ ନମ୍ବର 108 ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ | ଅନୈତିକ ଭୃଣ ନିରୂପଣ ନିମନ୍ତେ ଯୋଗ୍ୟ ସୂଚନାଦାତା ଙ୍କୁ ସରକାର ଙ୍କ ତରଫରୁ ଅର୍ଥରାଶିର ପ୍ରୋତ୍ସାହନ ବ୍ୟବସ୍ଥା ରହିଛି | ସୂଚନା ପ୍ରଦାନ ଦିଗରେ ସୂଚନାଦାତାଙ୍କୁ 25000 / -ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ | ସୂଚନାଦାତାଙ୍କୁ ତିନୋଟି କିସ୍ତିରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ବେଳେ,ପ୍ରଥମ କିସ୍ତି 5,000 / -, ସଫଳ ସୂଚନା ପରେ ୨ୟ କିସ୍ତି 10,000 /- ଓ 3ୟ କିସ୍ତି ରେ ଯାଞ୍ଚ ପରିଚାଳନାରେ ସହଯୋଗ ପାଇଁ 10,000 / – ଟଙ୍କା ପ୍ରଦାନ ର ବ୍ୟବସ୍ଥା ରହିଛି l ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ,ଡ଼ିଏମଓ ଡାକ୍ତର ଦୁର୍ଗାଦତ୍ତ ଦାଶ , ଡାକ୍ତର ପ୍ରକାଶ ଚନ୍ଦ୍ର ଦଣ୍ଡସେନା, ଡାକ୍ତର ଦିଲ୍ଲୀପ ପୁରୋହିତ,ଡାକ୍ତର ଜିତାରାମ ବିଦ,ଡାକ୍ତର ନରେନ୍ଦ୍ର ମେହେର, ଏଡଭୋକେଟ ଅଟଳ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ସାମ୍ବାଦିକ ସ୍ୱାଧୀନ ମେହେର, ଡିସିପିଓ ଚତୁର୍ଭୁଜ ଦାଶ, ଜିଲ୍ଲା ପରାମର୍ଶଦାତା ବାଲ୍ୟ ବିବାହ ନିରାକରଣ ରାକେଶ ପ୍ରଧାନ, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଡିପିଏମ ବିଶ୍ଵମ୍ଵର ବେହେରା, ଡିଏମଆରସିଏଚ ସୁଧାଂଶୁ ନାୟକ, ଏଏମଏଲଏ ଏବଂ ଆଇ ଏସ ଶୋଭାନା ଦାଶ ପ୍ରମୂଖ ଉପସ୍ଥିତ ଥିଲେ।