ଶ୍ରୀମୁଖଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ …. [ପରମାଣ ପୁର ଦଧିବାମନ ମନ୍ଦିର ର ଅପରିଚିତ ଅତୀତ]
ରେଙ୍ଗାଲିକ୍ୟାମ୍ପ, ତା ୨୭/୧. ବରଗଡ଼ ଜିଲ୍ଲା, ଅତାବିରା ବ୍ଲକ ଟୋପ ପଞ୍ଚାୟତ ଅଧିନରେ ରହିଛି ପରମାଣପୁର ।ଏହି ଗ୍ରାମରେ ନିର୍ମିତ ହୋଇଛି ଏକ ସୁନ୍ଦର୍ ଜଗନ୍ନାଥ (ଦଧିବାମନ) ମନ୍ଦିର ।ଯେଉଁଠି ପୂଜା ପାଇବେ କେବଳ ଶ୍ରୀଜଗନ୍ନାଥ । ଏହି ମନ୍ଦିର ଟି ର ଆକାର ଏତେ ଶୁ ଉଚ୍ଚ ବା ସୁଦୀର୍ଘ ହୋଇ ନପାରେ କି ତାର ନିର୍ମାଣ କଳାକୃତି ମଧ୍ୟ ଅନ୍ୟ ମନ୍ଦିର ସହ ହୁଏତ ତୁଲାନୀୟ ହୋଇ ନ ପାରେ,କିନ୍ତୁ ତାର ଅତୀତର କିମ୍ବଦନ୍ତୀ ଆଜିର ମଣିଷ ପାଇଁ ଅଲୌକିକ ଅଟେ । କୁହାଯାଏ ଯେଉଁଠି ଭକ୍ତ ,ସେଇଠି ଭଗବାନ। ଆଜି ଯେଉଁଠି ଏହି ମନ୍ଦିର ନିର୍ମିତ ହୋଇଛି ସେଇଠାରେ ଶ୍ରୀମୁଖ ନାମକ ଜଣେ କେଉଁଟ ଚାଳ ଛପର ଘରେ ରହୁଥିଲେ। ଆଗରେ ଏକ ବିଶାଳ ବହଲ ଗଛ ଥିଲା। ଶ୍ରୀମୁଖ ଙ୍କ ସ୍ତ୍ରୀ ମୁଢ଼ି ଭାଜୁଥିଲେ ଓ ପରିବାର ପୋଷଣ କରୁଥିଲେ । ଉଭୟେ ବହୁତ ଈଶ୍ୱର ବିଶ୍ବାସୀ ଥିଲେ। କିନ୍ତୁ ନିୟତିର ନିୟମ କୁ କିଏ ଭାଙ୍ଗି ପାରେ। ସମୟ କ୍ରମେ ଶ୍ରୀମୁଖ ଙ୍କ ବଂଶ ର ସମସ୍ତେ ଧୀରେ ଧୀରେ ମୃତ୍ୟୁ ବରଣ କରି ଆଉ କେହି ବି ରହିଲେ ନାହିଁ।ଏମିତି ମଣିଷ ବିହୀନ ଘର ଧୀରେ ଧୀରେ ଭାଙ୍ଗି ରୂଜି ନଷ୍ଟ ହେବାରେ ଲାଗିଲା ।ଫଳରେ ଗ୍ରାମର ଗଣେଶ ରାମ ଗୌନ୍ତିଆ,ଅଭିମନ୍ୟୁ ଗୌନ୍ତିଆ,ପର୍ଶୁରାମ ଗୌନ୍ତିଆ, ପର୍ଶୁ ଡୋଳା,ଭିକ ପ୍ରଧାନ,ଅଇଁଠା ଛତର,ନକୁଳ ମଲ୍ଲିକ,ଜୟୀ ଝlଙ୍କର , ବନମାଳୀ ବେହେରା,କାଳିଆ ବେହେରା,ଅର୍ଜୁନ ଭୋଇ,ଲିଙ୍ଗରଜ୍ ବେହେରା, ଦୁର୍ଲଭ ଭୋଇ ପ୍ରମୁଖ ମିଳିମିଶି ଉକ୍ତ ଘରକୁ ସଫା ସୁତୁରା କରି ମରାମତି କଲେ ଓ ଖପର କରିଦେଲେ। ସେମାନେ ବର୍ତ୍ତମାନ ଆଉ ନାହାନ୍ତି,ହେଲେ ତାଙ୍କର ପରିଶ୍ରମ ଓ ପ୍ରୟାସ ବଳରେ ସ୍ଥାନଟି ବ୍ୟବହାର ଯୋଗ୍ୟ ହୋଇପାରିଲା । ସେହି ସମୟରେ ସରକାରଙ୍କ ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମ ବେଶ୍ ଆଦୃତ ଥିଲା ଗ୍ରାମ ମାନଙ୍କରେ ବୃଦ୍ଧ ବୃଦ୍ଧା ମାନଙ୍କୁ ସlକ୍ଷର କରିବା ପାଇଁ । ତେଣୁ ଗ୍ରାମର ଅଭିମନ୍ୟୁ ସୁସାରି ସେଠାରେ ପ୍ରୌଢ଼ ଶିକ୍ଷା ଦେଉଥିଲେ ।କିନ୍ତୁ ଭଗବାନ ବୋଧ ହୁଏ ସେଥି ନିଜେ ରହିବାକୁ ଚାହୁଁଥିଲେ ।ଏକଦା ଜଣେ ସନ୍ନ୍ୟାସୀ ଗୋଟିଏ ଜଗନ୍ନାଥ ମୂର୍ତ୍ତି ଧରି ଉକ୍ତ ଗ୍ରାମକୁ ଭିକ୍ଷା ମାଗିବାକୁ ଆସିଲେ।ବୁଲି ବୁଲି ଭିକ୍ଷା କରିବା ପରେ ଜଗନ୍ନାଥ ଙ୍କ ମୂର୍ତ୍ତି ଟିକୁ ସେହି ଘରେ ଛାଡ଼ିଦେଇ ଚାଲିଗଲେ ।ସମସ୍ତେ ଭାବୁଥିଲେ ସନ୍ୟାସୀ ପୁଣି ଆସି ମୂର୍ତ୍ତି ଟିକୁ ନେବେ ।କିନ୍ତୁ ଦୀର୍ଘ ଦିନ ଧରି ସେଇ ସନ୍ନ୍ୟାସୀଙ୍କର ଆଉ କିଛି ଖବର ମିଳି ନଥିଲା ।ସେ କୁଆଡେ ଅତାବିରା ର କୌଣସି ଜାଗାରେ ରହୁଥିବା ଗ୍ରାମବାସୀ କହନ୍ତି।ଏମିତି ଯେତେବେଳେ ଜଗନ୍ନାଥଙ୍କ ମୂର୍ତ୍ତି ଟି ସେଠାରେ ସେମିତି ଅବସ୍ଥରେ ରହିଥିଲା ,ଲୋକଙ୍କୁ ଆଉ ଭଳ ଲାଗିଲା ନାହିଁ ।ଲୋକେ ସେଇ ମୂର୍ତ୍ତିକୁ ପୂଜା କରିବା ଆରମ୍ଭ କରିଦେଲେ ।ଏମିତି ଦୀର୍ଘ ୨୦ ବର୍ଷ ଧରି ସେମିତି ପ୍ରଭୁ ଜଗନ୍ନାଥ ପୂଜା ପାଇ ଆସୁଥିଲେ।ପୁଣି ଦୀର୍ଘ ବର୍ଷ ପରେ ସେ ସନ୍ୟାସୀ ଜଣକ କେଉଁଠାରୁ ଆସି ଗ୍ରାମର ଦୁଇ ଏକର ଜମି ଭଗବାନ ଙ୍କ ନାମରେ କିଣି ଦେଇ ଦାନ କରି ଚାଲିଗଲେ । ସେହି ସମୟରେ ଗ୍ରାମର ନରୋତ୍ତମ ତ୍ରିପାଠୀ ଜଗନ୍ନାଥ ଙ୍କ ପୂଜକ ଭାବରେ ପୂଜା କରୁଥିଲେ।କାଳକ୍ରମେ ପ୍ରତିଦିନ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ ଚାଲୁଥିଲା । ସମୟ କ୍ରମେ ଏହି ଖପର ଘର ପରିବର୍ତ୍ତେ ଗୋଟିଏ ମନ୍ଦିର ନିର୍ମାଣର ପରିକଳ୍ପନା କରନ୍ତି ଗ୍ରାମର ସ୍ବର୍ଗତ ଗଙ୍ଗାଧର ମିଶ୍ର, ଗଜ ନାଗ, ହଜାରରୁ ସୁସାରୀ,ଗଣନାଥ ସୁଶାରି,ଜୟରାମ ମଲ୍ଲିକ ଓ ମଙ୍ଗଳ ଭୋଇ । ୧୯୯୨ ମସିହାରେ ଘର ଭଙ୍ଗାଯଇ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ।କିନ୍ତୁ ମନ୍ଦିର ତିଆରି ପାଇଁ ଅର୍ଥ ର ଆବଶ୍ୟକତା ରହିଥିଲା । ତତ୍କାଳୀନ ଗ୍ରାମ୍ୟ କମିଟିର କୋଷାଧ୍ୟକ୍ଷ ପରମେଶ୍ବର ବେହେରା (୮୨) ଙ୍କ ପାଖରେ ରହିଥିଲା ୯୦୦ ଟଙ୍କା ।ସେହି ଟଙ୍କାରେ ମନ୍ଦିର ର ନିହ ପଡ଼ିଥିଲା । କିନ୍ତୁ ମନ୍ଦିର ର ସମ୍ପୁର୍ଣ୍ଣ ନିର୍ମାଣ ହେବାପାଇଁ ଅର୍ଥ ର ଅଭାବ ରହିଥିଲା ।ତେଣୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଏହା ପଡ଼ିରହିଥିଲା ୨୦୧୧ ମସିହା ପର୍ଯ୍ୟନ୍ତ । ପୁଣି ସେହି ବର୍ଷରୁ ମନ୍ଦିର ର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗତ ୨୦୨୨ ମସିହାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।ଏହି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆସନ୍ତା ମାଘ ଶୁକ୍ଳପକ୍ଷ ଏକାଦଶୀ ଦିନ କରାଯିବ ବୋଲି ଲଗ୍ନ ସ୍ଥିର ହୋଇଛି ।ତେବେ ମନ୍ଦିର ପାଇଁ କାଦୋବାହାଳ ରେ ୨ ଫୁଟ ଦୁଇ ଇଞ୍ଚ ର ଏକ ବିଗ୍ରହ ତିଆରି ହେଉଛି । ମନ୍ଦିର ନିର୍ମାଣ ଦିନଠାରୁ ଗ୍ରାମର ଭାଗବତ ଘରେ ଭଗବାନ ଅସ୍ଥାୟୀ ଭାବେ ପୂଜା ପାଉଛନ୍ତି।ଏହି ବିଗ୍ରହ ଙ୍କୁ ସମାଧି କରି ନୂତନ ବିଗ୍ରହ ଙ୍କ ପ୍ରତିଷ୍ଠା ହେବ ବୋଲି ଗ୍ରାମବାସୀ କହନ୍ତି । ଏହି ମନ୍ଦିର ର ପରିଚାଳନା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଗୋଚର ଭୂମି ତିନି ଏକର, ଏହା ବ୍ୟତୀତ ସ୍ବର୍ଗତ ଗଣେଶ ରାମ ଓ ଗୋବିନ୍ଦ ଗୌନ୍ତିଆ ମଧ୍ୟ ୯୦ ଡିସିମିଲି ଜମି ମନ୍ଦିର ପାଇଁ ଦାନ କରିଥିଲେ । ସ୍ବର୍ଗତ ବାସୁଦେବ ବେହେରା ,ସ୍ବର୍ଗତ ଲିଙ୍ଗରାଜ ବେହେରା ,ସ୍ବର୍ଗତ ଚୌବନ ବେହେରା ଓ ସ୍ବର୍ଗତ ରାଜା ପ୍ରଧାନ ମଧ୍ୟ ପ୍ରତ୍ୟେକ ୧୦ ଡିସିମିଲ ଲେଖାଏଁ ଜମି ଦାନ କରିଛନ୍ତି। ମୋଟ ୬ ଏକର ୩୦ ଡିସିମିଲ ଜାଗା ଭଗବାନ ଙ୍କ ନାମରେ ରହିଛି । ଗ୍ରାମ୍ୟ କମିଟିର ସଭାପତି ଦିଲୀପ କୁମାର ମିଶ୍ର ଓ ସମ୍ପାଦକ ଶରତ ଭୋଇ ଙ୍କ ତତ୍ବାବଧାନରେ ଏହି ମନ୍ଦିର ର ପ୍ରତିଷ୍ଠା ଉତ୍ସବ କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି